ଅତି ନିକଟରୁ ଦେଖନ୍ତୁ 'ପ୍ଲୁଟୋ' ଏବଂ 'ଚାରନ୍'କୁ: ଭିଡିଓ ଜାରି କଲା ନାସା [Video of Pluto and Charon]

ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପଠାଇଥିବା 'ନିୟୁ ହରାଇଜନ୍' ମହାକାଶଯାନ 2015 ମସିହା ଜୁଲାଇ ମାସରେ ବାମନ ଗ୍ରହ ପ୍ଲୁଟୋ ପାଖ ଦେଇ ଗତି କରିଥିଲା ଏବଂ ସେହି ସମୟରେ 'ପ୍ଲୁଟୋ' ଏବଂ ଏହାର ବୃହତ୍ତମ ଉପଗ୍ରହ 'ଚାରନ୍'ର କେତେକ କ୍ଲୋଜ୍ ଅପ୍ ଫଟୋ ନେଇଥିଲା ନିୟୁ ହରାଇଜନ୍ । ପୂର୍ବରୁ ଏହି ଧରଣର କୌଣସି ପ୍ଲୁଟୋ ଅଭିଯାନ ହୋଇନଥିଲା । ନିୟୁ ହରାଇଜନ୍ ପଠାଇଥିବା ଫଟୋ ଗୁଡ଼ିକୁ ବିଶ୍ଳେଷଣ କରି ନାସା ପକ୍ଷରୁ ଉଭୟ ପ୍ଲୁଟୋ ଓ ଚାରନର 3-ଡି ଆନିମେସନ ଭିଡିଓ ପ୍ରସ୍ତୁତ କରାଯାଇଛି । ଚାରନର ଆକାର ପ୍ଲୁଟୋ ଆକାରର ଅଧା । ଏହି ଦୁଇଟି 3-ଡି ଆନିମେସନ୍ ଭିଡିଓରେ ବାମନ ଗ୍ରହ ପ୍ଲୁଟୋ ଏବଂ ତାହାର ବୃହତ୍ତମ ଉପଗ୍ରହ ଚାରନ୍ ପୃଷ୍ଠରେ ଥିବା ପାହାଡ଼, ଗର୍ତ୍ତ ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟ ଗୁଡ଼ିକୁ ଯଥାସମ୍ଭବ ସ୍ପଷ୍ଟ ଭାବେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି ।

 
[ପ୍ଲୁଟୋ ଏବଂ ଚାରନ୍]

ପ୍ଲୁଟୋ ସମ୍ପର୍କିତ କେତେକ ରୋଚକ ତଥ୍ୟ:
  • ଏହା ପୃଥିବୀ ବର୍ଷ ଅନୁସାରେ 246.04 ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରେ । ଅର୍ଥାତ୍ 246.04 ପୃଥିବୀ ବର୍ଷରେ ଗୋଟିଏ ପ୍ଲୁଟୋ ବର୍ଷ ହୁଏ ।
  • ପ୍ଲୁଟୋ 1930 ମସିହା ଫେବୃଆରୀ 18 ତାରିଖରେ ଆବିଷ୍କାର ହୋଇଥିଲା । ଆବିଷ୍କାର ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଥରେ ବି ସୂର୍ଯ୍ୟଙ୍କୁ ପରିକ୍ରମଣ ସମ୍ପୂର୍ଣ୍ଣ କରିନାହିଁ । 
  • 1930 ମସିହାରେ କ୍ଲାଇଡ୍ ଟମ୍ବାଓ ଲୋବେଲ୍ ଅବଜର୍ଭେଟୋରୀରେ ପ୍ଲୁଟୋକୁ ଆବିଷ୍କାର କରିଥିଲେ । ପ୍ଲୁଟୋ ନିକଟ ଦେଇ ପ୍ରଥମ ଥର ପାଇଁ 2015 ମସିହାରେ ଯାଇଥିବା ମହାକାଶଯାନ ନିୟୁ ହରାଇଜନରେ କ୍ଲାଇଡଙ୍କ ଦାହ ପାଉଁଶ ପଠାଯାଇଛି ।
  • ରୋମ୍ ବାସୀଙ୍କ ପାତାଳ ଦେବତାଙ୍କ ଅନୁସାରେ ପ୍ଲୁଟୋର ନାମକରଣ ହୋଇଛି । ଇଂଲଣ୍ଡର ଅକ୍ସଫୋର୍ଡରେ ପଢ଼ୁଥିବା 11 ବର୍ଷୀୟା ଛାତ୍ରୀ ଭେନେଟିଆ ବର୍ନେ ଏହି ନାମକରଣ ପାଇଁ ପ୍ରସ୍ତାବ ଦେଇଥିଲେ ।
  • ପ୍ଲୁଟୋକୁ 2006 ମସିହାରେ ଗ୍ରହ ଶ୍ରେଣୀରୁ ବାହାର କରି ବାମନ ଗ୍ରହର ମାନ୍ୟତା ଦିଆଗଲା । କାରଣ ଅନ୍ତର୍ଜାତୀୟ ମହାକାଶୀୟ ସଂଘ ବା ଆଇଏୟୁ ଅନୁସାରେ ଗ୍ରହର ସଂଜ୍ଞା ହେଉଛି, “A planet is a celestial body that (a) is in orbit around the Sun, (b) has sufficient mass for its self-gravity to overcome rigid body forces so that it assumes a hydrostatic equilibrium (nearly round) shape, and (c) has cleared the neighbourhood around its orbit.“.
  • ପ୍ଲୁଟୋର ବର୍ତ୍ତମାନ ସୁଦ୍ଧା 5ଟି ଉପଗ୍ରହ ଥିବା ଜଣାପଡ଼ିଛି । ସେଗୁଡ଼ିକ ହେଲା, ଚାରନ୍, ଷ୍ଟିକ୍ସ, ନିକ୍ସ, କେର୍ବେରୋସ୍ ଏବଂ ହାଇଡ୍ରା ।
  • ପ୍ଲୁଟୋର ଆକାର ସୌରଜଗତର ବହୁ ଉପଗ୍ରହ ଠାରୁ କ୍ଷୁଦ୍ର । ପ୍ଲୁଟୋର ବ୍ୟାସ ପୃଥିବୀର ଉପଗ୍ରହ ଚନ୍ଦ୍ରର ବ୍ୟାସର 66% ଏବଂ ଓଜନ 18% ।
  • ସୂର୍ଯ୍ୟ ଓ ପ୍ଲୁଟୋ ମଧ୍ୟରେ ଦୂରତା 5,945,900,000 କିଲୋମିଟର । ପୃଥିବୀରେ ଚନ୍ଦ୍ର ଆଲୋକର ତୀବ୍ରତା  ଯେତିକି ପ୍ଲୁଟୋରେ ସୂର୍ଯ୍ୟ ଆଲୋକର ତୀବ୍ରତା ସେହିଭଳି ।


ଆହୁରି ପଢ଼ନ୍ତୁ: ସୂର୍ଯ୍ୟ ପରାଗର ସର୍ବପୁରାତନ ଫଟୋ ସମ୍ପର୍କରେ

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]