ସମୟ ଗର୍ଭରୁ ଫେରିପାରେ ହିମ ଯୁଗର ବିଲୁପ୍ତ ଜୀବ 'ଉଲ୍ଲି ମାମଥ୍' [Scientists planning to clone Woolly Mammoth]

elephant, woolly mammoth, cloning, ice age
[ଉଲ୍ଲି ମାମଥର କାଳ୍ପନିକ ଚିତ୍ର]
ଆପଣ ଯଦି ଇଂରାଜୀ ଆନିମେସନ୍ ଫିଲ୍ମ 'ଆଇସ୍ ଏଜ୍' ଦେଖିଥିବେ, ତେବେ ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ମ୍ୟାନଫ୍ରେଡ୍ ବା ମେନି ଚରିତ୍ରକୁ ନିଶ୍ଚୟ ଜାଣିଥିବେ । ତାହା ହେଉଛି ଏକ ଉଲ୍ଲି ମାମଥ୍ ବା ଲୋମଶ ବିଶାଳ ହସ୍ତୀ । ଏହାକୁ ବର୍ତ୍ତମାନର ହାତୀର ପୂର୍ବଜ କୁହାଯାଇପାରେ । ହଜାର ହଜାର ବର୍ଷ ତଳେ ହିମ ଯୁଗରେ ଏହି ଲୋମଶ ହାତୀମାନେ ପୃଥିବୀରେ ବିଚରଣ କରୁଥିଲେ । ସେମାନେ ପ୍ରଜାତି ଅନୁସାରେ ବର୍ତ୍ତମାନର ଏସୀୟ ହାତୀଙ୍କ ନିକଟତର, ଆକାରରେ ବର୍ତ୍ତମାନର ଆଫ୍ରିକୀୟ ହାତୀଙ୍କ ଭଳି ବିଶାଳ ଏବଂ ସେମାନଙ୍କ ଦେହସାରା ଲୋମ ଭର୍ତ୍ତି ଥିଲା । ସେମାନେ ଘନ ଲୋମ ଯୋଗୁଁ ହିମ ଯୁଗର ବାତାବରଣରେ ବଞ୍ଚିପାରୁଥିଲେ ଏବଂ ବଡ଼ ବଡ଼ ଦାନ୍ତରେ ବରଫ ଖୋଳୁଥିଲେ ।

['ଆଇସ୍ ଏଜ୍' ଫିଲ୍ମର ଏକ ପୋଷ୍ଟର]
 ହଜାର ହଜାର ବର୍ଷ ତଳେ ପୃଥିବୀ ପୃଷ୍ଠରେ ବିଚରଣ କରୁଥିବା ଏହି ଜୀବ ବିଲୁପ୍ତ ହୋଇଯାଇଛି । କିନ୍ତୁ ବୈଜ୍ଞାନିକମାନେ ଏହାକୁ ପୁଣି ଥରେ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏହା କିପରି ସମ୍ଭବ? ହଜାର ହଜାର ବର୍ଷ ତଳେ ବିଲୁପ୍ତ ହୋଇଯାଇଥିବା ଜୀବକୁ ପୁଣି ଜୀବିତ ଅବସ୍ଥାକୁ ଫେରାଇ ଆଣିବା ପାଇଁ ବୈଜ୍ଞାନିକ ମାନେ କେଉଁ  ଯୋଜନା କରୁଛନ୍ତି?  ପ୍ରକୃତରେ ବୈଜ୍ଞାନିକମାନେ ଚାହୁଁଛନ୍ତି କ୍ଲୋନିଂ ପଦ୍ଧତିରେ ବର୍ତ୍ତମାନର ଏସୀୟ ମାଈହାତୀଠାରୁ ଜୀବିତ ଉଲ୍ଲି ମାମଥ୍ ତିଆରି କରିବା ପାଇଁ । କିନ୍ତୁ କ୍ଲୋନିଂ ପଦ୍ଧତିରେ ଗୋଟିଏ ପ୍ରଜାତିର ଜୀବଠୁ ଅନ୍ୟ ଏକ ପ୍ରଜାତିର ଜୀବ ସୃଷ୍ଟି ପାଇଁ ତାହାର ଡିଏନ୍ଏ ଆବଶ୍ୟକ ହୋଇଥାଏ ।  ତେବେ ହଜାରହଜାର ବର୍ଷ ତଳୁ ବିଲୁପ୍ତ ଏହି ହାତୀର ଡିଏନ୍ଏ ବୈଜ୍ଞାନିକମାନେ ପାଇବେ କେଉଁଠୁ? ତାହାର ଉତ୍ତର ମଧ୍ୟ
ବୈଜ୍ଞାନିକଙ୍କ ପାଖରେ ଅଛି । 

[ବରଫାବୃତ ଅଞ୍ଚଳରୁ ଠାବ ଉଲ୍ଲି ମାମଥର ଦେହାବଶେଷ]
ରୁଷ୍ ଦେଶର ଏକ ବରଫାବୃତ ଅଞ୍ଚଳ ସାଇବେରିଆରେ କିଛି ଉଲ୍ଲି ମାମଥର ଦେହାବଶେଷ ଠାବ ହୋଇଥିଲା । ଅଞ୍ଚଳଟି ହଜାର ହଜାର ବର୍ଷରୁ ବରଫାବୃତ ହୋଇଥିବାରୁ, ସେଠାରୁ ମିଳିଥିବା ଉଲ୍ଲି ମାମଥର ଦେହାବଶେଷ ସମ୍ପୂର୍ଣ୍ଣ ନଷ୍ଟ ହୋଇନାହିଁ । ଏଥିରୁ ଜୀବକୋଷ ସଂଗ୍ରହ କରି ତାହାକୁ କ୍ଲୋନିଂ କରିବାକୁ ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି । ସେହି ଜୀବକୋଷରୁ ଡିଏନ୍ଏ ବାହାର କରି ତାହାକୁ ବର୍ତ୍ତମାନର ଏକ ଏସୀୟ ହାତୀ ଶରୀରରେ ପ୍ରବେଶ କରାଇଲେ, ସେହି ଏସୀୟ ହାତୀଟି ଏକ ଉଲ୍ଲି ମାମଥ୍ ଶାବକକୁ ଜନ୍ମ ଦେବ । ଫଳରେ ପୃଥିବୀ ପୃଷ୍ଠରେ ପୁଣି ବିଚରଣ କରିବେ ହିମ ଯୁଗର ଜୀବନ୍ତ ଲୋମଶ ବିଶାଳ ହସ୍ତୀ । ତେବେ ଏହି ପରୀକ୍ଷଣ ଏଯାଏଁ ଆରମ୍ଭ ହୋଇନାହିଁ ।  ଏଥିରୁ କେତେ ସଫଳତା ମିଳିବ ଏବଂ ସମୟକୁ ପୁଣି ଫେରାଇ ଆଣିବା ସମ୍ଭବ ହେବ କି ନାହିଁ ତାହା ସମୟ ହିଁ କହିବ ।


ଆହୁରି ପଢ଼ନ୍ତୁ: ନେମେସିସ୍, ସୂର୍ଯ୍ୟର ଦାନବ ଯମଜ ଓ ଡାଇନୋସରଙ୍କ ବଂଶ ନାଶକ

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]