ଟାଇଟନ୍: ବାଲୁକା ଶିଳ୍ପୀଙ୍କ ପାଇଁ ସ୍ୱର୍ଗସମାନ, କାହିଁକି ଜାଣନ୍ତୁ? [Titan has electric sand]
ବାଲୁକା ଶିଳ୍ପୀମାନେ ନିଜ କଳା ଓ ସୃଜନଶୀଳତାକୁ ଉପଯୋଗ କରି ବାଲିରେ ବିଭିନ୍ନ ପ୍ରକାର ବାଲୁକା କଳା ଓ ବାଲୁକା ସ୍ତୁପ ନିର୍ମାଣ କରିଥାନ୍ତି । କିନ୍ତୁ ଏଥିରେ ଗୋଟିଏ ସମସ୍ୟା ହେଉଛି, ବାଲୁକା କଳା ଗୁଡ଼ିକ ଦୀର୍ଘ ସ୍ଥାୟୀ ନୁହେଁ । ଯଦିଓ ସେମାନେ ଓଦା ବାଲିରେ ବାଲୁକା ସ୍ତୁପ ନିର୍ମାଣ କରିଥାନ୍ତି, କିନ୍ତୁ ବାଲି ଶୁଖିଯିବା ପରେ ବାଲୁକା କଳାଟି ଭାଙ୍ଗିବାରେ ଲାଗେ । କିନ୍ତୁ ଯଦି ଏଭଳି ବାଲି ଥାଆନ୍ତା ଯେ, ବାଲି କଣିକା ଗୁଡ଼ିକ ଅଠା ଲାଗିଲା ଭଳି ପରସ୍ପର ସହ ମାସମାସ ପର୍ଯ୍ୟନ୍ତ ଲାଗି ରହନ୍ତେ, ତେବେ କେତେ ବଢ଼ିଆ ହୋଇଥାନ୍ତା ନା? ଆମ ରାଜ୍ୟର ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କିମ୍ବା ମାନସ ସାହୁଙ୍କୁ ପଚାରିଲେ, ସେମାନେ ନିଶ୍ଚୟ କହିବେ ଆମକୁ ଶୀଘ୍ର ସେଭଳି ବାଲି କେଉଁଠି ଅଛି କୁହ । କିନ୍ତୁ ସେଭଳି ବାଲିର ଠିକଣା ଆମ ପୃଥିବୀ ନୁହେଁ, ବରଂ
ଶନିର ଉପଗ୍ରହ ଟାଇଟନ୍ ।
ଶନି ଓ ତାହାର ବୃହତ୍ତମ ଉପଗ୍ରହ ଟାଇଟନ୍ |
ବାଲି କଣିକା ଗୁଡ଼ିକ ପବନରେ ଉଡ଼ିବା ସମୟରେ ଗତିଶୀଳ ହେବାରୁ ସେଥିରେ ସ୍ଥିରବିଦ୍ୟୁତ ଶକ୍ତି ସୃଷ୍ଟି ହୋଇଥାଏ । ଫଳରେ ଏହି କଣିକା ଗୁଡ଼ିକ ମଧ୍ୟରେ ଏତେ ଆକର୍ଷଣ ବଳ ସୃଷ୍ଟି ହୋଇଥାଏ ଯେ ଏଗୁଡ଼ିକ ପରସ୍ପର ସହ ଲାଖି ହୋଇ ବଡ଼ ବଡ଼ ବାଲିକୁଦ ବା ବାଲୁକାସ୍ତୁପ ତିଆରି ହୁଏ । ଏଗୁଡ଼ିକର ଉଚ୍ଚତା ସାଧାରଣତଃ 300 ଫୁଟ ଉଚ୍ଚ ହୋଇଥାଏ । କେବଳ ପ୍ରବଳ ବେଗରେ ପବନ ନବହିଲେ ହିଁ ଏଗୁଡ଼ିକ ଭାଙ୍ଗି ପାରିବ, କିନ୍ତୁ ସାଧାରଣତଃ ଟାଇଟନରେ ସେତେ ଅଧିକ ବେଗର ପବନ ବହେ ନାହିଁ ।
ଟାଇଟନରେ ବାଲୁକାସ୍ତୁପ |
ତେଣୁ ବାଲୁକା ଶିଳ୍ପୀ ମାନେ ବାଲିଗୁଡ଼ିକୁ ଏକାଠି କରି ସ୍ତୁପ ତିଆରି କରିବା ପାଇଁ ସେଥିରେ ପାଣି ମିଶାଇଥାନ୍ତି ଅଥବା ଓଦା ବାଲିରେ ସ୍ତୁପ ତିଆରି କରିଥାନ୍ତି । ଓଦା ବାଲିରେ ସ୍ତୁପ ତିଆରି କଲେ ବାଲି କଣିକା ଗୁଡ଼ିକ ପରସ୍ପର ସହ ଲାଖି ରହେ ଓ ସ୍ତୁପ ଭାଙ୍ଗିପଡ଼େନାହିଁ । କିନ୍ତୁ ଟାଇଟନରେ ଏହାର କୌଣସି ଆବଶ୍ୟକତା ନାହିଁ । ସେଠାରେ ଶୁଖିଲା ବାଲିରେ ହିଁ ସ୍ତୁପ ଗଢ଼ିହେବ ଏବଂ ତାହା ବହୁଦିନ ପର୍ଯ୍ୟନ୍ତ ଅତୁଟ ରହିବ । କାରଣ ଶୁଖିଲା ବାଲି କଣିକା ଗୁଡ଼ିକ ସ୍ଥିର ବିଦ୍ୟୁତ ଶକ୍ତି ଯୋଗୁଁ ଆକର୍ଷିତ ହୋଇ ପରସ୍ପର ସହ ସପ୍ତାହ ସପ୍ତାହ ଏପରିକି କିଛି ମାସ ପର୍ଯ୍ୟନ୍ତ ଲାଗିରହନ୍ତି । ତେଣୁ ବାଲୁକାଶିଳ୍ପୀ ବହୁ ପରିଶ୍ରମ କରି ତିଆରି କରିଥିବା ବାଲୁକା ସ୍ତୁପ ଏତେଶୀଘ୍ର ଭାଙ୍ଗିବାର କୌଣସି ଆଶଙ୍କା ନାହିଁ ।
ପୃଥିବୀ, ଚନ୍ଦ୍ର ଓ ଟାଇଟନ ମଧ୍ୟରେ ଆକାରର ତୁଳନା |
ଆହୁରି ପଢ଼ନ୍ତୁ : ଆଲୋକ ବର୍ଷ: ସମୟ ନୁହେଁ, ଦୂରତା
Comments
Post a Comment