ବିଦ୍ୟୁତ ସଞ୍ଚୟର କେତୋଟି ସରଳ ଉପାୟ (ଅାର୍ଥ୍ ଆୱାର୍ ଉପଲକ୍ଷେ) [Energy saving tips]
ବିଦ୍ୟୁତ ଶକ୍ତି ଏବେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ଆମ ଜୀବନର ଏକ ମୌଳିକ ଆବଶ୍ୟକତା ପାଲଟି ଗଲାଣି । କିନ୍ତୁ ବିଦ୍ୟୁତ ଶକ୍ତିର ବର୍ଦ୍ଧିତ ଚାହିଦା ଏବଂ ଅଯଥା ଅପଚୟ ଯୋଗୁଁ ଆମକୁ ଏବେ ବିଦ୍ୟୁତ ସଂକଟର ସମ୍ମୁଖୀନ ହେବାକୁ ପଡ଼ୁଛି । ଫଳରେ ପ୍ରଥମତଃ ବିଦ୍ୟୁତ ଶୁଳ୍କ ବଢ଼ୁଛି ଓ ଆମକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି, ଦ୍ୱିତୀୟତଃ ସରକାର ଚାହିଁଲେ ମଧ୍ୟ ଗରିବଙ୍କୁ ଯଥେଷ୍ଟ ମାତ୍ରାରେ ବିଦ୍ୟୁତ ସଂଯୋଗ ଦେଇପାରୁନାହାନ୍ତି । ଏଥିସହ ଆମ ଆଗାମୀ ପିଢ଼ି ପାଇଁ ମଧ୍ୟ ଆମେ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛୁ । ଏହାର ସମାଧାନ ପାଇଁ ଏକ ଉପାୟ ହେଲା ବିଦ୍ୟୁତ ସଂଚୟ । ଆମେ ଆମ ଘରେ ଯଦି ସାମାନ୍ୟ କେତୋଟି କଥାକୁ ଧ୍ୟାନ ଦେବା, ଆମେ ଅନାବଶ୍ୟକ ବିଦ୍ୟୁତ ଖର୍ଚ୍ଚକୁ ରୋକି ପାରିବା ।
- ଆବଶ୍ୟକ ନଥିଲେ ବିଦ୍ୟୁତ ଚାଳିତ ଆଲୁଅ ବନ୍ଦ ରଖନ୍ତୁ । ଦିନରେ ଝରକା ଖୋଲା ରଖି ସୂର୍ଯ୍ୟାଲୋକର ଉପଯୋଗ କରନ୍ତୁ । ଝରକାରେ ପତଳା ପରଦା ବ୍ୟବହାର କରିପାରନ୍ତି । ସମ୍ପୂର୍ଣ୍ଣ ଘରକୁ ଉଜ୍ଜ୍ୱଳ ଭାବେ ଆଲୋକିତ ନକରି, ଯେଉଁଠାରେ ଉଜ୍ଜ୍ୱଳ ଆଲୋକ ଆବଶ୍ୟକ ସେଠାରେ ବ୍ୟବହାର କରନ୍ତୁ । ପାରମ୍ପରିକ ବଲ୍ବ ଓ ଟ୍ୟୁବଲାଇଟ୍ ବ୍ୟବହାର ନକରି ସିଏଫ୍ଏଲ୍ କିମ୍ବା ଏଲ୍ଇଡି ଲାଇଟ୍ ବ୍ୟବହାର କରନ୍ତୁ । ଟ୍ୟୁବ ଲାଇଟ ବ୍ୟବହାର କରୁଥିଲେ ସର୍ବଦା ଇଲେକ୍ଟ୍ରୋନିକ୍ ଚୋକ୍ ଲଗାନ୍ତୁ ।
- ଟିଭି କିମ୍ବା କୌଣସି ଅଡିଓ ସିଷ୍ଟମକୁ ବ୍ୟବହାର ନହେବା ସମୟରେ ସ୍ୱିଚ୍ ଅନ୍ କରନ୍ତୁ ନାହିଁ । ବ୍ୟବହାର ହେଉନଥିବା ସମୟରେ ମଧ୍ୟ କମ୍ପ୍ୟୁଟର ଅନ୍ ରଖିବାକୁ ଚାହୁଁଥିଲେ ତାହାର ମନିଟର୍ ସ୍ୱିଚ୍ ଅଫ୍ କରନ୍ତୁ । ଆବଶ୍ୟକ ସ୍ଥଳେ ସ୍ଲିପ୍ ମୋଡ୍ ବ୍ୟବହାର କରିପାରନ୍ତି । ଲାପଟପ୍, ମୋବାଇଲ୍ କିମ୍ବା କ୍ୟାମେରା ଚାର୍ଜର୍ ଆଦି ବ୍ୟବହାର ହେଉନଥିଲେ ତାହାକୁ ପ୍ଲଗରେ ଲଗାଇରଖନ୍ତୁ ନାହିଁ ।
- ରେଫ୍ରିଜେରେଟରକୁ କାନ୍ଥ ସହ ଲଗାଇ ବସାନ୍ତୁ ନାହିଁ । କାନ୍ଥ ଓ ରେଫ୍ରିଜେରେଟର୍ ମଧ୍ୟରେ ବାୟୁ ଚଳାଚଳ ପାଇଁ ଫାଙ୍କା ସ୍ଥାନ ଛାଡ଼ନ୍ତୁ । ବାରମ୍ବାର ରେଫ୍ରିଜେରେଟର୍ ଡୋର୍ ଖୋଲନ୍ତୁ ନାହିଁ କିମ୍ବା ଅଧିକ ସମୟ ଖୋଲା ଛାଡ଼ନ୍ତୁ ନାହିଁ । ଏହା ଏୟାର୍ ଟାଇଟ୍ ଅଛି କି ନାହିଁ ନିୟମିତ ବ୍ୟବଧାନରେ ଯାଞ୍ଚ କରନ୍ତୁ । ସମସ୍ତ ଖାଦ୍ୟ ପଦାର୍ଥକୁ ରେଫ୍ରିଜେରେଟର୍ ଭିତରେ ଭଲଭାବେ ଘୋଡ଼ାଇ ରଖନ୍ତୁ । ଗରମ ଖାଦ୍ୟକୁ ସିଧାସଳଖ ରେଫ୍ରିଜେରେଟର୍ ଭିତରେ ରଖନ୍ତୁ ନାହିଁ ।
- ୱାସିଂ ମେସିନକୁ ସର୍ବଦା ଫୁଲ୍ ଲୋଡରେ ହିଁ ବ୍ୟବହାର କରନ୍ତୁ । ବାରମ୍ବାର ଅଳ୍ପ ଅଳ୍ପ ଲୁଗା ନଧୋଇ, ଏକାଥରକେ ମେସିନର କ୍ଷମତା ପରିମାଣର ଲୁଗା ଧୁଅନ୍ତୁ । ଆବଶ୍ୟକତା ନଥିଲେ ଲୁଗା ସଫା ପାଇଁ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ । ମେସିନରେ ଟାଇମର୍ ବ୍ୟବହାର କରନ୍ତୁ । ଲୁଗାକୁ ଡ୍ରାୟର୍ ରେ ଶୁଖାଇବା ଅପେକ୍ଷା ବାହାରେ ଶୁଖାଇ ବିଦ୍ୟୁତ ସଞ୍ଚୟ କରିପାରିବେ ।
- ସିଲିଂ ଫ୍ୟାନରେ ପାରମ୍ପରିକ ରେଗୁଲେଟର୍ ନଲଗାଇ ଆଧୁନିକ ଇଲେକ୍ଟ୍ରୋନିକ୍ ରେଗୁଲେଟର୍ ଲଗାନ୍ତୁ । ପୋଷାକ ଇସ୍ତ୍ରୀ କରିବା ପାଇଁ ଅଟୋମେଟିକ୍ ଆଇରନ୍ ବକ୍ସ ବ୍ୟବହାର କରନ୍ତୁ ଓ ଏହାର ରେଗୁଲେଟର ସେଟିଂକୁ ଭିନ୍ନ ଭିନ୍ନ ଧରଣର କପଡ଼ା ଅନୁସାରେ ବଦଳାନ୍ତୁ । ଓଦା ଲୁଗାକୁ ଆଦୌ ଇସ୍ତ୍ରୀ କରନ୍ତୁ ନାହିଁ । ମିକ୍ସର୍ ଓ ଗ୍ରାଇଣ୍ଡରରେ ଶୁଖିଲା ପଦାର୍ଥ ଗୁଣ୍ଡକଲେ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ ।
- ମାଇକ୍ରୋୱେଭ୍ ଓଭେନ୍ ବ୍ୟବହାର କଲେ ବିଦ୍ୟୁତ ଚୁଲା କିମ୍ବା ଗ୍ୟାସ୍ ଚୁଲା ଅପେକ୍ଷା 50 ପ୍ରତିଶତ କମ୍ ଖର୍ଚ୍ଚ ହୋଇଥାଏ । ତେବେ ମାଇକ୍ରୋୱେଭ୍ ଓଭେନ ଚାଲୁ ଥିବା ସମୟରେ କବାଟ ଅଧିକ ସମୟ ଖୋଲା ରଖନ୍ତୁ ନାହିଁ । ଇଲେକ୍ଟ୍ରିକ୍ ଚୁଲା ପାଇଁ ଗୋଲାକାର ନୁହେଁ ବରଂ ସମତଳ ତଳି ଥିବା ବାସନ ବ୍ୟବହାର କରନ୍ତୁ । ଖାଦ୍ୟ ପ୍ରସ୍ତୁତ ହେବାର କିଛି ସମୟ ପୂର୍ବରୁ ଚୁଲା ବନ୍ଦ କରିଦେଇପାରନ୍ତି ।
- କେବଳ ବିଦ୍ୟୁତ ନୁହେଁ, ରନ୍ଧନ ଗ୍ୟାସ୍ ସଂରକ୍ଷଣ ପାଇଁ ଗ୍ୟାସ୍ ଚୁଲାକୁ ଆବଶ୍ୟକତା ଅନୁସାରେ ଯେତେ ସମ୍ଭବ ସିମ୍ କରି ରଖନ୍ତୁ । ନିଆଁ ନୀଳ ରଙ୍ଗର ବାହାରୁଥିଲେ ଠିକ୍ ଅଛି, କିନ୍ତୁ ଯଦି ହଳଦିଆ ଦେଖାଯାଏ, ତେବେ ଚୁଲାର ବର୍ନର୍ ସଫା କରନ୍ତୁ । ଯଥାସମ୍ଭବ ପ୍ରେସରକୁକର୍ ବ୍ୟବହାର କରନ୍ତୁ ଓ ଅନ୍ୟ ବାସନକୁସନ ପାଇଁ ଢାଙ୍କୁଣି ବ୍ୟବହାର କରନ୍ତୁ ।
Comments
Post a Comment