ମୂତ୍ରକୁ ପିଅନ୍ତି ମହାକାଶଚାରୀ! (ବିଶ୍ୱ ଜଳ ଦିବସ ଉପଲକ୍ଷେ) [Astronauts drink recycled urine]
ପ୍ରତିଦିନ ସେଠାରେ ପ୍ରାୟ 15 ଲିଟର ବିଶୋଧିତ ଜଳ ପ୍ରସ୍ତୁତ ହୋଇଥାଏ । ଏହାର ସ୍ୱାଦ ଠିକ୍ ବୋତଲ ପାଣି ଭଳି ଏବଂ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ପାଣିଠୁ ବିଶୁଦ୍ଧ ।
ମହାକାଶ ଅଭିଯାନ ଖୁବ୍ ବ୍ୟୟବହୁଳ । ସେଥିରେ ପ୍ରତିଟି ସାମଗ୍ରୀ ନେବାକୁ ଅଧିକରୁ ଅଧିକ ଅର୍ଥବ୍ୟୟ କରିବାକୁ ପଡ଼ିଥାଏ । ତେଣୁ ବାରମ୍ବାର ପୃଥିବୀରୁ ମହାକାଶଚାରୀଙ୍କ ପିଇବା ପାଇଁ ପୃଥିବୀରୁ ପାଣି ନେଇଯିବା ସମ୍ଭବ ନୁହେଁ । ତେଣୁ ପିଇବା ପାଣି ପାଇବାକୁ ଏହି ଉପାୟ ଅବଲମ୍ବନ କରାଯାଏ । ଯଦିଓ ଆଇଏସ୍ଏସ୍ ରେ କିଛି ସାଧାରଣ ଜଳ ମହଜୁଦ ରହିଥାଏ, ତଥାପି ତାହାକୁ କେବଳ ବର୍ଜ୍ୟଜଳ ବିଶୋଧନ ପାଇଁ ଓ ଜରୁରୀକାଳୀନ ବ୍ୟବହାର ପାଇଁ ଅଳ୍ପ ଅଳ୍ପ ଖର୍ଚ୍ଚ କରାଯାଏ । ବାକି ପାନୀୟ ଜଳ ଗାଧୁଆ ପାଣି, ମୂତ୍ର ଓ ଝାଳ ଆଦିରୁ ସଂଗୃହିତ ହୁଏ ।
ଅବଶ୍ୟ ସମସ୍ତ ଆଇଏସ୍ଏସ୍ ମହାକାଶଚାରୀ ମୂତ୍ର ପିଅନ୍ତି ନାହିଁ । ଆଇଏସ୍ଏସ୍ ଦୁଇଭାଗରେ ବିଭକ୍ତ । ଆମେରିକୀୟ ଏବଂ ରୁଷୀୟ । ଆମେରିକା ଦ୍ୱାରା ଅଧିକୃତ ଅଂଶରେ ମହାକାଶଚାରୀମାନେ ମୂତ୍ରକୁ ବିଶୋଧନ କରି ପିଅନ୍ତି । କିନ୍ତୁ ରୁଷ୍ ଅଧିକୃତ ଅଂଶରେ ଥିବା ବୈଜ୍ଞାନିକମାନେ କେବଳ ଗାଧୋଇବା ପରେ ବାହାରିଥିବା ଜଳକୁ ବିଶୋଧନ କରି ପିଇଥାନ୍ତି । ଆଉ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆମେରିକୀୟ ବୈଜ୍ଞାନିକମାନେ ବେଳେବେଳେ ରୁଷୀୟ ବୈଜ୍ଞାନିକଙ୍କ ମୂତ୍ରକୁ ସଂଗ୍ରହ କରିନେଇଥାନ୍ତି... ପିଇବା ପାଇଁ ।
ବିଶ୍ୱ ଜଳ ଦିବସର ଚଳିତବର୍ଷର ଥିମ୍ ରହିଛି WHY WASTEWATER? ବା ବର୍ଜ୍ୟଜଳ କାହିଁକି? ତେଣୁ ଆମେ ଚିନ୍ତା କରିବା ଆବଶ୍ୟକ ଯେ, ଆମ ପୃଥିବୀ ମଧ୍ୟ ଏକ ବୃହତ୍ ଆଇଏସ୍ଏସ୍ ଭଳି । ଏଠାରେ ମଧ୍ୟ ବାହାରୁ ଜଳ ଆସେନାହିଁ । ପୃଥିବୀରେ ଲକ୍ଷଲକ୍ଷ ବର୍ଷ ପୂର୍ବରୁ ଥିବା ଜଳର ପରିମାଣ ଏବେ ମଧ୍ୟ ସମାନ ରହିଛି । କିନ୍ତୁ ଆମ ବ୍ୟବହାର ଯୋଗ୍ୟ ଜଳ ପରିମାଣ କମୁଛି ଓ ବର୍ଜ୍ୟଜଳ ପରିମାଣ ବଢ଼ୁଛି । ମନୁଷ୍ୟ ଦ୍ୱାରା ସୃଷ୍ଟି ହେଉଥିବା 80 ପ୍ରତିଶତ ବର୍ଜ୍ୟଜଳ ନଦୀ ଓ ସମୁଦ୍ରରକୁ ଚାଲିଯାଉଛି ଏବଂ କେବଳ 20 ପ୍ରତିଶତ ହିଁ ପୁନଃ ବ୍ୟବହାରଯୋଗ୍ୟ ହେଉଛି । ତେଣୁ ଏବେ ସମୟର ଆହ୍ୱାନ ହେଉଛି, ଆମେ ନଷ୍ଟ କରୁଥିବା ବର୍ଜ୍ୟଜଳକୁ ପୁଣି କିପରି ବ୍ୟବହାରଯୋଗ୍ୟ କରିପାରିବା ।
ଆହୁରି ପଢ଼ନ୍ତୁ : ବୃହସ୍ପତିର ବିରଳ ଦୃଶ୍ୟ
Comments
Post a Comment