ସମୁଦ୍ରକୂଳରେ ତିମିଙ୍କ ଅସ୍ୱାଭାବିକ ମୃତ୍ୟୁ ହୁଏ କାହିଁକି? [Why do stranded whales die?]
ସମୁଦ୍ରକୂଳରେ ତିମିର ମୃତଦେହ ଠାବ ହେବା ଘଟଣା ଆପଣମାନେ ଅନେକ ସମୟରେ ଖବରରେ ଦେଖିଥିବେ । ପୃଥିବୀର ଅନେକ ସମୁଦ୍ରତଟରେ ଏହିଭଳି ଘଟଣା ଦେଖିବାକୁ ମିଳେ। କେଉଁଠି ଗୋଟିଏ ତିମି ମରି ପଡ଼ିଥାଏ ତ ଆଉ କେଉଁଠି ଏକାଧିକ ତିମି ବା ଗୋଟିଏ ତିମି ଦଳ ମରି ପଡ଼ିଥାନ୍ତି। କିଛି ସ୍ଥାନରେ ଶହଶହ ତିମି ମଧ୍ୟ ସମୁଦ୍ରକୂଳରେ ମୃତ୍ୟୁବରଣ କରିଥାନ୍ତି। ପ୍ରତିବର୍ଷ ସାରା ପୃଥିବୀରେ ପ୍ରାୟ 2000 ତିମି ଜାତୀୟ ପ୍ରାଣୀ ସମୁଦ୍ରକୂଳକୁ ଆସି ମୃତ୍ୟୁବରଣ କରନ୍ତି। ଏଇଠି ଗୋଟିଏ କଥା କହିରଖେ, ତିମି ବୟସ ଅଧିକ ହୋଇ ସ୍ୱାଭାବିକ ଭାବେ ମୃତ୍ୟୁବରଣ କଲେ କିମ୍ବା କୌଣସି ରୋଗ ଅଥବା ଦୁର୍ଘଟଣା କାରଣରୁ ସମୁଦ୍ର ଭିତରେ ମୃତ୍ୟୁବରଣ କଲେ ସାଧାରଣତଃ ତାହାର ମୃତଦେହ ସମୁଦ୍ରକୂଳ ଯାଏଁ ଆସିନଥାଏ। ତାହା ସମୁଦ୍ର ଭିତରେ ହିଁ କାହାର ଖାଦ୍ୟ ବନିଯାଏ, ନଚେତ୍ ପଚିସଢ଼ି ସମୁଦ୍ର ଭିତରେ ହିଁ ବୁଡ଼ିଯାଏ। ସମୁଦ୍ରକୂଳରେ ମିଳୁଥିବା ଅଧିକାଂଶ ମୃତ ତିମି ଗୁଡ଼ିକ ସମୁଦ୍ରକୂଳକୁ ଆସିବା ପରେ ହିଁ ମୃତ୍ୟୁବରଣ କରିଥାନ୍ତି। କିଛି ସ୍ଥାନରେ ଉଦ୍ଧାର ହେଲା ବେଳକୁ ସେମାନେ ଜୀବିତ ଥାଆନ୍ତି ଓ ସେମାନଙ୍କୁ ପୁଣି ସମୁଦ୍ରକୁ ଛାଡ଼ି ଦିଆଯାଏ।
ଯଦି ଆପଣଙ୍କୁ ପ୍ରଶ୍ନ କରାଯାଏ, ତିମି ସମୁଦ୍ରକୂଳରେ ମରନ୍ତି କାହିଁକି? ଏହି ପ୍ରଶ୍ନର ଏକ ଖୁବ୍ ସହଜ ଉତ୍ତର ଆପଣଙ୍କ ମନକୁ ଆସୁଥିବ। ତିମି ଅନ୍ୟ ସାମୁଦ୍ରିକ ଜୀବଙ୍କ ଭଳି
ସମୁଦ୍ର ଭିତରେ ରହନ୍ତି। ତେଣୁ ପାଣି ବାହାରକୁ ଆସିଲେ ଶ୍ୱାସକ୍ରିୟା କରିନପାରି ମରିବା ସୁନିଶ୍ଚିତ। କିନ୍ତୁ ଆପଣ ଭୁଲିଯାଉଛନ୍ତି ଯେ, ତିମି ଏକ ମାଛ ନୁହେଁ ଏକ ସ୍ତନ୍ୟପାୟୀ ପ୍ରାଣୀ। ସାମୁଦ୍ରିକ ମାଛ ଭଳି ସେ ପାଣି ଭିତରେ ଗାଲିସି ସାହାଯ୍ୟରେ ଶ୍ୱାସକ୍ରିୟା କରେ ନାହିଁ। ତିମି ପାଣି ଉପରକୁ ଆସି ପ୍ରଶ୍ୱାସ ନିଏ। ତେଣୁ ସମୁଦ୍ରକୂଳରେ ଆସି ଶ୍ୱାସକ୍ରିୟା କରିନପାରି ଅମ୍ଳଜାନ ଅଭାବରୁ ତିମିର ମୃତ୍ୟୁ ଘଟେନାହିଁ।
କିଛି କ୍ଷେତ୍ରରେ ତିମି ଆହତ ହୋଇ ସମୁଦ୍ରକୂଳରେ ଲାଗେ ଓ କ୍ଷତ କାରଣରୁ ମୃତ୍ୟୁବରଣ କରେ। କିନ୍ତୁ ଅଧିକାଂଶ ସ୍ଥାନରେ ତିମି ଦେହରେ କିଛି କ୍ଷତ ନଥାଇ ମଧ୍ୟ ତାହା ମରିଯାଇଥାଏ। ତେବେ ଏଭଳି ହୁଏ କାହିଁକି? ସେ ମଧ୍ୟ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ସିଲ୍ ଭଳି ପାଣି ବାହାରେ ବଞ୍ଚିପାରିଥାନ୍ତା! କିନ୍ତୁ ପାଣିରୁ ବାହାରି ସମୁଦ୍ରକୂଳକୁ ଭାସି ଆସିବା ପରେ ତିମିର ମୃତ୍ୟୁ ହେବା ପଛରେ ଅନେକ କାରଣ ରହିଛି। ଗୋଟିଏ ହେଲା, ତିମି ଶରୀରରୁ ଜଳୀୟ ଅଂଶ କମିଯିବା ବା ଡିହାଇଡ୍ରେସନ୍। ତିମିର ଚର୍ମ ତଳେ ଏକ ମୋଟା ଆସ୍ତରଣ ବା ବ୍ଲବର୍ ରହିଥାଏ। ଥଣ୍ଡା ପାଣି ଅଭାବରୁ ଶରୀର ଭିତରର ତାପମାତ୍ରା ଅତ୍ୟଧିକ ବୃଦ୍ଧିପାଏ। ତେଣୁ ଏହା ଜଳୀୟ ଅଂଶ ଅଭାବରୁ ତଥା ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ତିମିର ମୃତ୍ୟୁ ଘଟେ।
ଆଉ ଏକ କାରଣ ହେଲା ତିମି ପାଣି ବାହାରକୁ ଆସିଲେ ନିଜ ଶରୀରର ଚାପ ସହିନପାରି ମରିଯାଏ। ଅର୍ଥାତ ତିମି ଶରୀରର ଗଠନ ପାଣି ଭିତରେ ରହିବା ପାଇଁ ହୋଇଥାଏ। ଆପଣମାନେ ଲକ୍ଷ୍ୟ କରିଥିବେ, ପାଣି ଭିତରେ ଏକ ଓଜନିଆ ବସ୍ତୁ ମଧ୍ୟ ହାଲୁକା ଲାଗେ। ଏହା ପାଣିର ପ୍ଳବତା (buoyancy) ଗୁଣ ଯୋଗୁଁ ହୋଇଥାଏ। ଠିକ୍ ସେହି କାରଣରୁ ତିମି ଭଳି ବିଶାଳକାୟ ପ୍ରାଣୀର ଓଜନ ମଧ୍ୟ ସମୁଦ୍ର ଭିତରେ ଅପେକ୍ଷାକୃତ କମିଯାଏ। ତିମି ଶରୀରର ଗଠନ ସେହି ଅପେକ୍ଷାକୃତ କମ୍ ଓଜନକୁ ଧାରଣ କରିବା ବା ବୋହିବା ପାଇଁ ହୋଇଥାଏ। କିନ୍ତୁ ପାଣି ବାହାରକୁ ଆସିଲେ ପ୍ଳବନ ବଳ କାର୍ଯ୍ୟ କରେ ନାହିଁ। ତେଣୁ ନିଜ ଶରୀର ଓଜନ ସହିବା ତିମି ପାଇଁ କଷ୍ଟକର ହୋଇପଡ଼େ। ନିଜର ବର୍ଦ୍ଧିତ ଓଜନ ଚାପରେ ତିମିର ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ନଷ୍ଟ ହୋଇଯାଏ ଓ ତାହାର ମୃତ୍ୟୁଘଟେ। ଅନେକ ସମୟରେ ଦୀର୍ଘ ସମୟ ଧରି ଖାଦ୍ୟ ନଖାଇବା ବା ଖାଦ୍ୟାଭାବ ଏବଂ ଜୁଆର ଯୋଗୁଁ ବାଲିରେ ପୋତି ହୋଇ ବା ଅନ୍ୟ କୌଣସି କାରଣରୁ ତିମିର ଶ୍ୱାସରନ୍ଧ୍ର ବା ବ୍ଲୋ ହୋଲ୍ ବନ୍ଦ ହୋଇଗଲେ ମଧ୍ୟ ତାହାର ମୃତ୍ୟୁ ଘଟେ।
ତେବେ ଏଠାରେ ଆଉ ଦୁଇଟି ଗୁରୁତ୍ୱପୂର୍ଣ ପ୍ରଶ୍ନ ମନକୁ ଆସେ ଯେ, ତିମି ସମୁଦ୍ରକୂଳକୁ ଆସନ୍ତି କାହିଁକି ଓ ଆସିବା ପରେ ପୁଣି ସମୁଦ୍ର ଭିତରକୁ ଫେରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ପାଇଁ ପରବର୍ତ୍ତୀ ଲେଖାଟି ଦେଖନ୍ତୁ।
ଆହୁରି ପଢ଼ନ୍ତୁ : ମସ୍ତିଷ୍କ: ନିଜେ ନିଜର ନାମକରଣ କରିଥିବା ଅଙ୍ଗ

Comments
Post a Comment