✎ ବିଜ୍ଞାନ ଓ ବିଶ୍ୱାସ (ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ) [Science and Belief]

ମୁର୍ଖ ଓ ସ୍କୁଲ ମାଟି ମାଡ଼ି ନଥିବା ଲୋକଟିଏ ମଧ୍ୟ କହିପାରିବ ଯେ ସୂର୍ଯ୍ୟ ସକଳ ଶକ୍ତିର ଆଧାର, ଏହା ବିଶ୍ୱାସ । ଅନ୍ୟପଟେ ଶିକ୍ଷିତ ଲୋକଟିଏ ମଧ୍ୟ ଏଥିରେ ସହମତ ହେବ ଯେ, ସୂର୍ଯ୍ୟଙ୍କ (ତାପ, ଆଲୋକ ଏବଂ ମହାକର୍ଷଣ) ଶକ୍ତି ବିନା ପୃଥିବୀର ସ୍ଥିତି ଓ ଜୀବନସତ୍ତା ଅସମ୍ଭବ । ଏହା ହେଉଛି ବିଜ୍ଞାନ । ତେଣୁ ବିଶ୍ୱାସ ଓ ବିଜ୍ଞାନ ଦୁଇଟି ଭିନ୍ନ ଭିନ୍ନ ଜଗତର ଶବ୍ଦ ଲାଗୁଥିଲେ ମଧ୍ୟ ବାସ୍ତବତା ସେଭଳି ନୁହେଁ । ଆମର ଧର୍ମ, ପ୍ରଥା, ପରମ୍ପରା, ସଂସ୍କୃତି ଓ ଚଳଣି ମଧ୍ୟରେ ଏଭଳି ଅନେକ କଥା ଅଛି, ଯାହାକି ଆମେ ବିନା ପ୍ରମାଣରେ ବିଶ୍ୱାସ କରୁ, କିନ୍ତୁ ତା ପଛରେ ଯଥେଷ୍ଟ ବିଜ୍ଞାନ ସମ୍ମତ କାରଣ ଓ ପ୍ରମାଣ ରହିଛି । ଏଭଳି ଅନେକ ବିଶ୍ୱାସକୁ ବିଜ୍ଞାନ ସମ୍ମତ ବୋଲି ବୈଜ୍ଞାନିକମାନେ ପ୍ରମାଣ କରିଛନ୍ତି ଓ ଆହୁରି କରୁଛନ୍ତି ମଧ୍ୟ ।

ଅନ୍ୟପକ୍ଷରେ ଏଭଳି ଅନେକ ବିଶ୍ୱାସ ରହିଛି, ଯାହାକି ପ୍ରଥମତଃ ବିଜ୍ଞାନ ସମ୍ମତ ନୁହେଁ, ଦ୍ୱିତୀୟରେ ଏହାକୁ ପାଳନ କରିବା ଦ୍ୱାରା କାହାର ମଙ୍ଗଳ ହୁଏ ନାହିଁ ବରଂ ସମାଜ ପ୍ରତି ଏହା କ୍ଷତିକାରକ ଭାବେ ସାବ୍ୟସ୍ତ ହୁଏ, ଯାହାକୁ ଆମେ ଅନ୍ଧ ବିଶ୍ୱାସ ବୋଲି କହୁ । ଏଇଠି ଆସେ ବିଜ୍ଞାନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଆମେ ଅନ୍ଧ ବିଶ୍ୱାସକୁ ଏଥିପାଇଁ ବିଶ୍ୱାସ କରୁ ଯେ, ପ୍ରଥା, ପରମ୍ପରା, ବିଶ୍ୱାସ ଓ ଚଳଣି ନାଁରେ ତା ପଛରେ ଥିବା ବିଜ୍ଞାନ ସମ୍ମତ କୁପ୍ରଭାବକୁ ଆଖି ବୁଜିଦେଉ । ସବୁ ଅନ୍ଧବିଶ୍ୱାସ ପଛରେ ବିଜ୍ଞାନ ସମ୍ମତ କୁପ୍ରଭାବ ନଥାଏ । କିନ୍ତୁ କୌଣସି ସୁପ୍ରଭାବ ମଧ୍ୟ ନଥାଏ। ସମାଜରେ ଏଭଳି ଅନେକ ଅଯଥା ବିଶ୍ୱାସ ରହିଛି।

ଏଠାରେ କେବଳ ମୁର୍ଖ ଅପାଠୁଆ, ସଭ୍ୟ ସମାଜରୁ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ଗୋଷ୍ଠୀ କିମ୍ବା ଲୋକଙ୍କ କଥା କୁହାଯାଉନି, ବରଂ ଅନେକ ଶିକ୍ଷିତ ଓ ସଭ୍ୟ ସମାଜର ଲୋକମାନେ ମଧ୍ୟ ବିନା କାରଣରେ
ଅନ୍ଧବିଶ୍ୱାସକୁ ମାନି ଚଳନ୍ତି । ହୁଏତ ସେମାନେ ଅଲୌକିକ ଶକ୍ତି ପାଇବା ପାଇଁ ମଣିଷ ବଳି ଭଳି ଜଘନ୍ୟ ଅପରାଧକୁ ବିଶ୍ୱାସ କରୁନଥିବେ, କିନ୍ତୁ ଅନେକ ଜ୍ଞାନୀ ଓ ବିଚାରବନ୍ତ ଲୋକ ମଧ୍ୟ ସାପ କାମୁଡିଲେ ରୋଗୀକୁ ଦୂର ହସ୍ପିଟାଲକୁ ନେବା ପୂର୍ବରୁ ଆଗ ପାଖ ଗୁଣିଆ ପାଖରେ ଡେଉଁରିଆଟିଏ ବନ୍ଧାଇ ନେବା ଉଚିତ ଭାବୁଥିବେ, କାଳେ ଯଦି ଉପାୟ କାମ କରିଯାଏ । ସାଧାରଣ ଲୋକ କଥା ଛାଡ଼ନ୍ତୁ, ଅନେକ ବିଜ୍ଞାନ ଶିକ୍ଷକଥିବେ ଯେଉଁମାନେ ବିଲେଇକୁ ଦେଖି ଅଟକି ଯାଉଥିବେ କିମ୍ବା ତିନି ପାଦ ପଛେଇ ଯାଇ ପୁଣି ଚାଲିବା ଆରମ୍ଭ କରୁଥିବେ । ଅନେକେ ଭାବନ୍ତି ବିଲେଇ ବାଟ କାଟିଲେ କ୍ଷତି ହେବ, ଆଉ କିଛି ଭାବନ୍ତି ବିଲେଇକୁ ଦେଖି କିଛି ସମୟ ଅଟକି ଗଲେ କାହାର କିଛି କ୍ଷତି ହେଉନାହିଁ, ତେଣୁ ଏହା ବିଶ୍ୱାସ ହୋଇଥାଉ କିମ୍ବା ଅନ୍ଧବିଶ୍ୱାସ, ଏହାକୁ ମାନିଲେ ଅସୁବିଧା କଣ?

ଏସବୁ ପ୍ରସଙ୍ଗରେ ଆଲୋକପାତ କରିବାର ଅଭିପ୍ରାୟ ହେଉଛି ଯେ, ବିଜ୍ଞାନ ଓ ବିଶ୍ୱାସକୁ ଦୁଇଟି ଭିନ୍ନ ଭିନ୍ନ ପୃଥିବୀର ଶବ୍ଦ ବୋଲି ନଭାବି ସମାଜର ସଚେତନ ନାଗରିକ ଭାବେ ଆମେ ଏଦୁଇଟିକୁ ଅତି ନିକଟକୁ ନେଇ ଆସିବା ଦରକାର । ଯଦି ସମ୍ଭବ ବିଜ୍ଞାନ ଓ ବିଶ୍ୱାସକୁ ପ୍ରତିଶବ୍ଦରେ ପରିଣତ କରିବା ପାଇଁ ପ୍ରୟାସ କରିବା ଦରକାର । ଯେଉଁଦିନ ଲୋକମାନେ ବିଜ୍ଞାନ ସମ୍ମତ କାର୍ଯ୍ୟ, ବିଷୟ ବା ଘଟଣା ଗୁଡ଼ିକୁ ବିଶ୍ୱାସ କରିବା ଆରମ୍ଭ କରିବେ ସେଦିନ ଅନ୍ଧବିଶ୍ୱାସ, କୁପ୍ରଥା, କ୍ଷତିକାରକ ପରମ୍ପରା ଜନିତ ଅନେକ ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ । 

ବିଜ୍ଞାନ ଓ ବିଶ୍ୱାସକୁ ନିକଟତର କରିବା ପାଇଁ ଲୋକଙ୍କ ମନରେ ବିଜ୍ଞାନକୁ ନେଇ ବିଶ୍ୱାସ ଜନ୍ମାଇବାକୁ ପଡ଼ିବ । ଏହାର ଏକ ସରଳ ଉପାୟ ହେଉଛି ବିଜ୍ଞାନକୁ  ସାଧାରଣ ଲୋକଙ୍କ ନିକଟରେ ଲୋକପ୍ରିୟ କରାଇବା । ଅନେକେ ବିଜ୍ଞାନକୁ ଜଟିଳ ଓ ଅବୋଧ୍ୟ ବୋଲି ଭାବନ୍ତି । ତେଣୁ ବିଜ୍ଞାନକୁ ବୁଝିବା ପାଇଁ ଚେଷ୍ଟା କରିବା ତ ଦୂରର କଥା, ସେସମ୍ପର୍କରେ ଚିନ୍ତା ମଧ୍ୟ କରନ୍ତି ନାହିଁ । କିନ୍ତୁ ସେମାନଙ୍କୁ ଯଦି ସରଳ ଉପାୟରେ ସାଧାରଣ ଛୋଟମୋଟ ଘଟଣା ପଛର ବିଜ୍ଞାନକୁ ବୁଝାଇ, ବିଜ୍ଞାନ ପ୍ରତି ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି କରାଯାଇପାରନ୍ତା ତେବେ ଧୀରେଧୀରେ ସେମାନଙ୍କ ମନରେ ବିଜ୍ଞାନକୁ ନେଇ ଜିଜ୍ଞାସା ବଢ଼ନ୍ତା ଓ ସବୁ ବିଶ୍ୱାସ ପଛରେ ବିଜ୍ଞାନ ଭିତ୍ତିକ କାରଣ ଖୋଜିବାକୁ ଚେଷ୍ଟା କରନ୍ତେ । ଏହାର ସୁଫଳ ସେତେବେଳେ ମିଳନ୍ତା ଯେତେବେଳେ ଲୋକେ ବିଶ୍ୱାସ ପଛର ବିଜ୍ଞାନକୁ ଖୋଜୁଖୋଜୁ ବିଜ୍ଞାନକୁ ହିଁ ବିଶ୍ୱାସ କରିବା ଆରମ୍ଭ କରନ୍ତେ ।

ତେଣୁ ଏହି ଜାତୀୟ ବିଜ୍ଞାନ ଦିବସର ଆହ୍ୱାନ ହେବା ଉଚିତ ଯେ, ବିଜ୍ଞାନକୁ ଜାଣିଥିବା ଓ ଭଲପାଉଥିବା ବ୍ୟକ୍ତିମାନେ ନିଜ ସାଧ୍ୟମତେ ସାଧାରଣ ଲୋକଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରାଇବା ପାଇଁ ଚେଷ୍ଟା କରନ୍ତୁ । ଭବିଷ୍ୟତରେ ଅନ୍ଧବିଶ୍ୱାସରେ ବୁଡ଼ି ରହିଥିବା  ସାଧାରଣ ଲୋକଟିଏ ପାଇଁ ଏହା ଏକ ବଡ଼ ଉପହାର ଓ ସମାଜ ପାଇଁ ଏକ ବରଦାନ ଭାବେ ସାବ୍ୟସ୍ତ ହୋଇପାରିବ ବୋଲି ଆଶା ।
 ✎ ସମ୍ପାଦକ, ବିଜ୍ଞାନ କଥା

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]