ଆମ ଆଖି ଓଲଟା ଦେଖେ [Eyes see upside down]
ଆମେ ଯେତେବେଳେ କୌଣସି ଦୃଶ୍ୟ ଦେଖୁ, (ତାହା ଘର, ଗଛ, ପାହାଡ଼, ମଣିଷ, ଗୋରୁ, ହାତୀ ଯାହା ହୋଇଥାଉ ନା କାହିଁକି) ଆମ ଆଖିରେ ସେସବୁ ଓଲଟା ଦେଖାଯାଏ। ଓଲଟା ଅର୍ଥ ଉପର ତଳ (upside down) ହୋଇ ଓଲଟା ଦେଖାଯାଏ। ଅର୍ଥାତ୍ ଆପଣ ଯଦି କୌଣସି ମଣିଷକୁ ଦେଖୁଛନ୍ତି, ତାର ଗୋଡ଼ ଉପରକୁ ମୁଣ୍ଡ ତଳକୁ ଦେଖାଯାଏ। ଆକାଶ ତଳକୁ ଓ ମାଟି ଉପରକୁ ଦେଖାଯାଏ। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ମୁଁ କୌଣସି ଅନ୍ୟ ଗ୍ରହର ଜୀବ କଥା କହୁନାହିଁ, ମଣିଷଙ୍କ କଥା କହୁଛି। ଆପଣ ଭାବୁଥିବେ, ଆପଣତ ଓଲଟା ଦେଖୁନାହାନ୍ତି, ସିଧା ଦେଖୁଛନ୍ତି। ଆଜ୍ଞା ହଁ। ଆପଣ ସିଧାରେ ଦେଖୁଛନ୍ତି, କିନ୍ତୁ ମୁଁ କହିଲି ଆପଣଙ୍କ ଆଖିରେ ସେସବୁ ଓଲଟା ଦେଖାଯାଏ। ଅର୍ଥାତ୍ ଆମ ଆଖି ଓଲଟା ଦେଖେ।
ଆମେ ଯେତେବେଳେ କୌଣସି ଦୃଶ୍ୟ କିମ୍ବା ବସ୍ତୁକୁ ଦେଖୁ, ପ୍ରକୃତରେ ସେଠାରୁ ନିର୍ଗତ ହେଉଥିବା କମ୍ବା ପ୍ରତିଫଳିତ ହେଉଥିବା ଆଲୋକ ଆମ ଆଖିରେ ପ୍ରବେଶ କରେ। ତାହା ଆମ ଆଖିର ରେଟିନାରେ ପଡ଼େ। ଏହାପରେ ଆମ ମସ୍ତିଷ୍କ ସେସମ୍ପର୍କିତ ତଥ୍ୟକୁ ବିଶ୍ଳେଷଣ କରି ଆମକୁ ଦୃଶ୍ୟ କିମ୍ବା ବସ୍ତୁଟିକୁ ଦେଖାଏ।
କିନ୍ତୁ ଆଲୋକ ଯେତେବେଳେ କର୍ନିଆ ପଟେ ଆଖି ଭିତରକୁ ପ୍ରବେଶ କରେ, ଆମ ଆଖିର ସେହି ଅଂଶଟି ବକ୍ରାକାର ହୋଇଥିବାରୁ ଆଲୋକ ବଙ୍କେଇ ଯାଏ। ଆଲୋକଟି ଏତେ ମାତ୍ରାରେ ବଙ୍କେଇଯାଏ ଯେ, ତାହା ରେଟିନାରେ ପଡ଼ିଲା ବେଳକୁ ବସ୍ତୁର ପ୍ରତିବିମ୍ବଟି ଓଲଟା ହୋଇ ପଡ଼େ। ତେଣୁ ଆମ ଆଖିରୁ ମସ୍ତିଷ୍କକୁ ବସ୍ତୁ ସମ୍ପର୍କିତ ତଥ୍ୟ ଗଲା ବେଳକୁ ଓଲଟା ଭାବେ ଯାଏ। କିନ୍ତୁ ଆମ ମସ୍ତିଷ୍କ ତାହାକୁ ସଜାଡ଼ି ନିଏ ଓ ସେ ପାଇଥିବା ଚିତ୍ରକୁ ପୁଣି ଓଲଟାଇ ଦିଏ। ତେଣୁ ଆମେ ଦେଖିଲା ବେଳକୁ ବସ୍ତୁଟିକୁ ଓଲଟା ନଦେଖି ସିଧାରେ ଦେଖୁ।
ଅର୍ଥାତ୍ ଆମ ମସ୍ତିଷ୍କ ତଥ୍ୟକୁ କେବଳ ଯଦି ବିଶ୍ଲେଷଣ କରିଥାନ୍ତା ତେବେ ଆମେ ଦୃଶ୍ୟକୁ ଓଲଟା ଦେଖିଥାନ୍ତୁ। ଯେହେତୁ ଆମ ମସ୍ତିଷ୍କ ଦୃଶ୍ୟକୁ ଓଲଟାଇ ସଜାଡ଼ି ଦେଉଛି, ଆମେ ମୁଁଣ୍ଡ ଉପରକୁ ଓ ଗୋଡ଼ ତଳକୁ ଦେଖୁଛୁ।
ଆହୁରି ପଢ଼ନ୍ତୁ : ଖୁସି ଖବର: ମିଳିଲା ପ୍ଲାଷ୍ଟିକ ଖାଉଥିବା କବକର ସନ୍ଧାନ
Comments
Post a Comment