ଜାତୀୟ ବିଜ୍ଞାନ ଦିବସ- 2017 [National Science Day]

national science day, cv raman
ସାଧାରଣ ଲୋକଙ୍କ ଜୀବନରେ ବିଜ୍ଞାନର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଭାରତରେ ପ୍ରତିବର୍ଷ ଫେବୃଆରୀ 28 ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଏ । 1928 ମସିହା ଏହି ଦିନ ବିଶିଷ୍ଟ ଭାରତୀୟ ବୈଜ୍ଞାନିକ ସାର୍ ଚନ୍ଦ୍ର ଶେଖର ଭେଙ୍କଟ ରମଣ ବା ସି.ଭି. ରମଣ ଆଲୋକ କଣିଆ ଫୋଟନର ବିଚ୍ଛୁରଣ ସମ୍ପର୍କିତ ଏକ ମହତ୍ତ୍ୱପୂର୍ଣ୍ଣ ଗୁଣ ଆବିଷ୍କାର କରିଥିଲେ । ଏହାକୁ ତାଙ୍କ ନାମ ଅନୁସାରେ ରମଣ ଇଫେକ୍ଟ ବୋଲି କୁହାଯାଏ । ଏହି ଆବିଷ୍କାର ପାଇଁ 1930 ମସିହାରେ ତାଙ୍କ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଜ୍ଞାନ କ୍ଷେତ୍ରରେ ଭାରତ ପାଇଁ ମଧ୍ୟ ଏହା ପ୍ରଥମ ନୋବେଲ ପୁରସ୍କାର ଥିଲା ।

ନ୍ୟାସନାଲ କାଉନସିଲ ଫର୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲଜି କମ୍ୟୁନିକେସନ୍ (NCSTC) ପକ୍ଷରୁ 1986 ମସିହାରେ
ଫେବୃଆରୀ 28 ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ନାମିତ କରିବା ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଗଲା ଏବଂ ସେହିବର୍ଷ ସରକାର ଏହାକୁ ଗ୍ରହଣ କଲେ ଓ ଏହି ଦିନକୁ ଜାତୀୟ ବିଜ୍ଞାନ ଦିବସ ଭାବେ ଘୋଷଣା କଲେ । ଏହା ପରବର୍ଷ ଅର୍ଥାତ 1987 ମସିହା ଫେବୃଆରୀ 28 ତାରିଖରେ ପ୍ରଥମ ଥର ପାଇଁ ଜାତୀୟ ବିଜ୍ଞାନ ଦିବସ ପାଳନ କରାଗଲା । 

ଜାତୀୟ ବିଜ୍ଞାନ ଦିବସରେ ସାଧାରଣ ଲୋକଙ୍କ ଜୀବନରେ ବିଜ୍ଞାନର ଭୂମିକା ସମ୍ପର୍କରେ ପ୍ରଚାର ପ୍ରସାର କରାଯିବା ସହ ବିଭିନ୍ନ କ୍ଷେତ୍ରରେ ବିଜ୍ଞାନର ନୂଆ ସଫଳତା, ଆବିଷ୍କାର, ଉଦ୍ଭାବନ ଓ ନୂଆ ପ୍ରଯୁକ୍ତି ଆଦି ସମ୍ପର୍କରେ ମଧ୍ୟ ବିଭିନ୍ନ ମଞ୍ଚରେ ଆଲୋଚନା କରାଯାଏ । ବୈଜ୍ଞାନିକ ଓ ବିଜ୍ଞାନପ୍ରେମୀ ମାନେ ଏକାଠି ହୋଇ ଏହି ଦିବସରେ ମାନବଜାତିର ମଙ୍ଗଳ ପାଇଁ ଏବଂ ବିଭିନ୍ନ ପ୍ରସଙ୍ଗରେ ବିଜ୍ଞାନର ଅବଦାନ ଓ ନୂଆନୂଆ ଗବେଷଣା ଆଦି ସମ୍ପର୍କରେ ଆଲୋଚନା କରନ୍ତି । ଏଥିସହ ବିଜ୍ଞାନକୁ ଲୋକପ୍ରିୟ କରାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଏ । 

ଚଳିତବର୍ଷ ବିଜ୍ଞାନ ଦିବସର ବିଷୟବସ୍ତୁ ରହିଛି 'ଦିବ୍ୟାଙ୍ଗଙ୍କ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା' । ଦିବ୍ୟାଙ୍ଗଙ୍କ ପାଇଁ ବିଜ୍ଞାନ ବହୁ ପୂର୍ବରୁ ଏକ ଆଶୀର୍ବାଦ ଭାବେ ସାବ୍ୟସ୍ତ ହୋଇଛି । କିନ୍ତୁ ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ  ଓ ଅଗ୍ରଗତି ହେଉଛି । ତେଣୁ ଦିବ୍ୟାଙ୍ଗଙ୍କ ଜୀବନକୁ ସହଜ ଓ ସରଳ କରିବା ପାଇଁ, ସେମାନଙ୍କୁ ସଶକ୍ତ କରିବା ପାଇଁ ଏବଂ ତାହାର ଦୂର୍ବଳତାକୁ ଯଥାସମ୍ଭବ ଦୂରେଇ ଦେଇ ସାଧାରଣ ମଣିଷ ପରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆଜି ବି ବିଜ୍ଞାନ ଓ ପ୍ରଯୁକ୍ତି ପୂର୍ଣ୍ଣମାତ୍ରାରେ ଚେଷ୍ଟିତ । ଆଜିର ପ୍ରଯୁକ୍ତି ଦୃଷ୍ଟିହୀନଙ୍କ ହାତରୁ ସାଧାରଣ ଆଶାବାଡ଼ିକୁ କାଢ଼ିନେଇ ଏକ ଅତ୍ୟାଧୁନିକ ହାଇଫାଇ ଆଶାବାଡ଼ି ଧରାଇ ଦେଉଛି, ଯେଉଁଥିରେ ଜିପିଏସ୍ ସିଷ୍ଟମ ରହିଛି, ଜରୁରୀ ସମୟରେ ପରିବାର ଲୋକଙ୍କୁ କିମ୍ବା ପାଖ ଥାନାକୁ କିମ୍ବା ହସ୍ପିଟାଲକୁ ଫୋନ କରି ସୂଚିତ କରିବାର ସୁବିଧା ରହୁଛି । ଏହା ଗୋଟିଏ ମାତ୍ର ଉଦାହରଣ । ରୋବୋଟିକ୍ସ, ଥ୍ରୀ-ଡି ପ୍ରିଣ୍ଟିଂ, ନାନୋ ଟେକ୍ନୋଲଜି ଆଦି ଦିବ୍ୟାଙ୍ଗଙ୍କ ଜୀବନକୁ ଏତେମାତ୍ରାରେ ସହଜ କରିଦେବାର ସମ୍ଭାବନା ରହିଛି ଯେ, କଛି ବର୍ଷ ପୂର୍ବରୁ ସେସବୁ କଳ୍ପନାମାତ୍ର ଥିଲା ।



ଆହୁରି ପଢ଼ନ୍ତୁ : ଆର୍ଥ୍ ଆୱାରର ଆହ୍ୱାନ

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]