ଆଲୋକ ବର୍ଷ: ସମୟ ନୁହେଁ, ଦୂରତା [About Light Year]

Light year is a unit of astronomical distance
ଦିନ, ସପ୍ତାହ, ମାସ ଓ ବର୍ଷ କହିଲେ ଆମେ ସମୟକୁ ବୁଝିଥାଉ। କାରଣ ଏଗୁଡ଼ିକ ସମୟର ଗୋଟିଏ ଗୋଟିଏ ଏକକ। ଯେମିତି, ଆମେ ବର୍ଷେ ତଳେ ଭେଟିଥିଲୁ, ରାମର ବୟସ 12 ବର୍ଷ, ଇତ୍ୟାଦି ଇତ୍ୟାଦି। କିନ୍ତୁ ଆଲୋକ ବର୍ଷ କହିଲେ ଏହା ସମୟକୁ ନୁହେଁ, ବରଂ ଦୂରତାକୁ ବୁଝାଇଥାଏ। କାରଣ ଏହା ଦୂରତାର ଗୋଟିଏ ଏକକ। ମହାକାଶ ବା ମହାଜଗତୀୟ ବସ୍ତୁର ଦୂରତା ମାପିବାର ଏକକ। ମହାକାଶରେ ଥିବା ନକ୍ଷତ୍ର (Star) ଓ ଛାୟାପଥ (Galaxy) ଆଦିର ଦୂରତାକୁ ଆଲୋକ ବର୍ଷ ଏକକରେ ଦର୍ଶାଯାଇଥାଏ। ଯଥା: 2 ଆଲୋକ ବର୍ଷ, 55 ଆଲୋକ ବର୍ଷ, 3.8 ଆଲୋକ ବର୍ଷ ଇତ୍ୟାଦି।

ତେବେ ମନରେ ପ୍ରଶ୍ନ ଉଠେ ଆଲୋକ ବର୍ଷ ଯଦି ଦୂରତାର ଏକକ, ତେବେ ଏଥିରେ ବର୍ଷ ଶବ୍ଦ କାହିଁକି ବ୍ୟବହାର କରାଯାଏ। ପ୍ରକୃତରେ, 1 ବର୍ଷ (365.25 ଦିନ) ମଧ୍ୟରେ ଆଲୋକ ଅତିକ୍ରମ କରୁଥିବା ଦୂରତାକୁ 1 ଆଲୋକ ବର୍ଷ କୁହାଯାଏ। ଏହି ଦୂରତା କେତେ ବିଶାଳ ଆଉ ଟିକିଏ ସରଳ ଭାବେ
ବୁଝିବା। ଆଲୋକ ଶୂନ୍ୟରେ ସେକେଣ୍ଡ ପ୍ରତି 3 ଲକ୍ଷ କିଲୋମିଟର ବେଗରେ ଗତି କରେ। ଅର୍ଥାତ 1 ସେକେଣ୍ଡ ମଧ୍ୟରେ ଆଲୋକ ଗୋଟିଏ ସ୍ଥାନରୁ 3 ଲକ୍ଷ କିଲୋମିଟର ଦୂର ପର୍ଯ୍ୟନ୍ତ ଯାଇପାରେ। ତେବେ ଚିନ୍ତାକର ଆଲୋକ ଗୋଟିଏ ମିନିଟରେ କେତେ, ଗୋଟିଏ ଘଣ୍ଟାରେ, ଦିନରେ, ସପ୍ତାହରେ, ମାସରେ ଏବଂ ବର୍ଷରେ କେତେ ଦୂରତା ଅତିକ୍ରମ କରିବ? ହିସାବରୁ କୁହାଯାଇପାରେ, ଆଲୋକ ଏକ ବର୍ଷରେ ପ୍ରାୟ 9500000000000 କିଲୋମିଟର ଦୂରତା ଅତିକ୍ରମ କରିବ। ଅର୍ଥାତ୍,

1 ଆଲୋକ ବର୍ଷ = ପ୍ରାୟ 9500000000000 କିଲୋମିଟର

ଏବେ ଜଣାପଡ଼ୁଛି ଯେ, ମହାକାଶରେ ମହାଜଗତୀୟ ବସ୍ତୁ ଗୁଡ଼ିକର ଦୂରତା ମାପିବା ପାଇଁ କାହିଁକି କିଲୋମିଟର ବା ମାଇଲ୍ ଏକକ ବ୍ୟବହାର କରାଯାଏନାହିଁ। ଏତେ ଗୁଡି଼କ ଶୂନ (0) ହିସାବ ସମୟରେ କାହାକୁ ବି ଭ୍ରମରେ ପକାଇପାରିବ। ଆଲୋକ ବର୍ଷ ବ୍ୟବହାରର ଆଉ ଏକ ସୁବିଧା ରହିଛି। ଆଲୋକ ବର୍ଷ ଦୂରତାକୁ ବୁଝାଇଲେ ମଧ୍ୟ ଏହା ଦ୍ଵାରା ସହଜରେ ହିସାବ କରିହୁଏ ଯେ, ଏକ ନିର୍ଦ୍ଦିଷ୍ଟ ନକ୍ଷତ୍ର କିମ୍ବା ଛାୟାପଥରୁ ଆଲୋକ ପୃଥିବୀ କିମ୍ବା ଅନ୍ୟ କୌଣସି ଗ୍ରହ, ନକ୍ଷତ୍ର ଅବା ଛାୟାପଥ ନିକଟରେ ପହଞ୍ଚିବା ପାଇଁ କେତେ ସମୟ ଲାଗିବ। ଗୋଟିଏ ଉଦାହରଣ ନିଆଯାଉ। ସୂର୍ଯ୍ୟ ପରେ ପୃଥିବୀର ଅନ୍ୟ ଏକ ନିକଟତମ ନକ୍ଷତ୍ର ହେଉଛି ଆଲଫା ସେଣ୍ଟାଉରି। ଏହା ପୃଥିବୀ ଠାରୁ 4.3 ଆଲୋକ ବର୍ଷ ଦୂରରେ ରହିଛି। ଅର୍ଥାତ୍ ଜଣାପଡ଼ୁଛି ଯେ, ଆଲଫା ସେଣ୍ଟାଉରିରୁ ଆଲୋକ ପୃଥିବୀକୁ ଆସିବା ପାଇଁ ବା ପୃଥିବୀରୁ ଆଲୋକ ସେଠାକୁ ଯିବା ପାଇଁ 4.3 ବର୍ଷ ସମୟ ଲାଗିବ।

ଏବେ ମହାକାଶ ବିଜ୍ଞାନୀମାନେ ସୌରଜଗତ ବାହାରେ ମହାଜଗତୀୟ ବସ୍ତୁମାନଙ୍କ ଦୂରତା ମାପିବା ପାଇଁ ଆଲୋକ ବର୍ଷ ପରିବର୍ତ୍ତେ ପାରସେକ୍ (pc)ଏକକ ବ୍ୟବହାର କରୁଛନ୍ତି। 1 ପାରସେକ୍ (pc) = ପ୍ରାୟ 3.26 ଆଲୋକ ବର୍ଷ



ଆହୁରି ପଢ଼ନ୍ତୁ : ଅଣ୍ଡା ଆଗ ନା କୁକୁଡ଼ା ଆଗ?

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]